- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀଙ୍କ ଶୋକ
- ସୁପ୍ରିମକୋର୍ଟର ନୂଆ ବିଚାରପତି ହେଲେ ଜୋୟମାଲା ବାଗଚି, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି
- ବିରୋଧୀ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ବିଧାନସଭାରେ ଚାଲି ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ
- ରାଇସିନା ଡାଇଲଗ ପାଇଁ ପହଂଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଆଜି ଉଦଘାଟନ କରିବେ ପିଏମ ମୋଦି
- ମୁମ୍ବାଇ ଏୟାରପୋର୍ଟରୁ 3.67 କୋଟି ଟଙ୍କାର ସୁନା ତସ୍କରୀର ପର୍ଦ୍ଦାଫାଶ, 4 ଗିରଫ
ନିରାଡମ୍ବର ଭାବେ ନୂଆ ବର୍ଷ ପାଳନ କଲେ ମୁଖ୍ୟମନ୍ତ୍ରୀ

ନୂଆ ବର୍ଷରେ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ସାମୁହିକ ଦାୟିତ୍ୱ ନେଇ କାମ କରନ୍ତୁ
ସବୁ ଆହ୍ୱାନର ମୁକାବିଲା କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ସଫଳତା ହାସଲ କରିବା-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 1 ଜାନୁଆରି - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ, ଆଜି ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକାରୀ ମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି । ତେଣୁ, ଓଡିଶା ଅନ୍ୟ ରାଜ୍ୟ ଠାରୁ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ, ଆମ ପାଖରେ ଅନେକ ଆହ୍ୱାନ ରହିଛି ଓ ସୁଯୋଗ ମଧ୍ୟ ରହିଛି । ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ଯ୍ୟ ସଫଳତାର ସହ କରାଯାଇ ପାରିବ । ଓଡିଶାରେ ନେଭି ଡେ, ଡିଜିପି କନଫରେନ୍ସ ଆଦି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ପାଳନ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଫୋକସ ରହିଛି । ଗତ ଛଅ ମାସ ମଧ୍ୟରେ ତିନି ଥର ଆସିବା ସହିତ ଜାନୁଆରୀ ମାସରେ ଦୁଇ ଥର ଆସିବାର କାର୍ଯ୍ୟକ୍ରମ ରହିଛି । ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଜାରି ରହିଛି । ତେଣୁ, ଏହି ସୁଯୋଗର ମଧ୍ୟ ସଦବ୍ୟବହାର କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆଗେଇବାକୁ ସେ ପରାମର୍ଶ ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ, ଚଳିତ ବର୍ଷ ଓଡିଶା ପାଇଁ ଏକ ପ୍ରଗତିର ବର୍ଷ ହେବ। ୨୦୩୬ ଓ ୨୦୪୭ ପାଇଁ ଆମର ଯେଉଁ ସଂକଳ୍ପ ଅଛି, ସେ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ସେମାନେ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ରାଜ୍ୟର ଅଧିକାରୀ ମାନେ ଦକ୍ଷ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।
ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ ।