- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର, 01 ଜାନୁଆରୀ - ସରକାରଙ୍କ ଲୋକବଳ ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି ।
ଆଜି ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ ଭାବେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଅତ୍ୟାବଶ୍ୟକୀୟ ସେବା ଯୋଗାଉ ଥିବା ବିଭାଗ, ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗର ପଦବୀ ଗୁଡିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଗାମୀ 5 ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । 2 ବର୍ଷ ମଧ୍ୟରେ 65 ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି ।
ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ 1,10,557ଟି ପଦବୀ ଖାଲି ରହିଛି । ଏଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି 2025 ମାର୍ଚ୍ଚ 31 ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗ ଗୁଡିକୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବିଭିନ୍ନ ବିଭାଗରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଖାଲି ଥିବା ପଦବୀ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ୱତନ୍ତ୍ର ରିକ୍ରୁଟମେଣ୍ଟ ଡ୍ରାଇଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ ଏମ୍ପାୱାର୍ଡ କମିଟିର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ । ଭିନ୍ନକ୍ଷମ ବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଯାଞ୍ଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା ଏମ୍ପାୱାର୍ଡ କମିଟିକୁ ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଜୟପୁର ଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ଲୋକସେବା ଆୟୋଗର 5ଟି ପରୀକ୍ଷା କେନ୍ଦ୍ର ରହିଛି ।
ବୈଠକରେ ଓ଼ଡିଶା ସର୍ଭିସ କମିଶନର ଅଧ୍ୟକ୍ଷ ଶ୍ରୀ ଅରୁଣ ଷଡଙ୍ଗୀ, ଓ଼ଡିଶା ସର୍ଭିସ କମିଶନର ଅଧ୍ୟକ୍ଷ ଶ୍ରୀ ଅଭୟ, ଓ଼ଡିଶା ସବ ଅର଼୍ଡିନେଟ ସର୍ଭିସ କମିଶନ ର ଅଧ୍ୟକ୍ଷ ଶ୍ରୀ ଲଳିତ ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଏବଂ ଆୟୋଗ ଗୁଡିକର ସଦସ୍ୟବୃନ୍ଦ ଏବଂ ସଚିବ ମାନେ ଉପସ୍ଥିତ ଥିଲେ ।