ଓଡ଼ିଶାର ରାଜ୍ୟପାଳ ଭାବେ ଡ଼କ୍ଟର ହରି ବାବୁ କମ୍ଭମ୍ପାଟିଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର, 3 ଜାନୁଆରି-ଓଡ଼ିଶାର ରାଜ୍ୟପାଳ ଭାବେ ଡ଼କ୍ଟର ହରି ବାବୁ କମ୍ଭମ୍ପାଟି ଶପଥ ନେବା ସହିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ଘ.୧୦.୧୫ମିନିଟ୍ ସମୟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଚକ୍ରଧାରୀ ଶରଣ ସିଂ ରାଷ୍ଟ୍ରପତିିଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଡକ୍ଟର କମ୍ଭମ୍ପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ପ୍ରାରମ୍ଭରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ନିଯୁକ୍ତିପତ୍ର (ୱାରେଂଟ ଅଫ୍ ଆପଏଂଟମେଂଟ) ପାଠ କରିଥିଲେ। ଶପଥ ପାଠ ପରେ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ ପରେ ଉତ୍ସବର ପରିସମାପ୍ତି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ମଧ୍ୟ ଏହି ଅବସରରେ ମଂଚାସୀନ ଥିଲେ। ଶପଥ ଗ୍ରହଣ ପରେ ନବ ନିଯୁକ୍ତ ରାଜ୍ୟପାଳଙ୍କ ସମ୍ମାନାର୍ଥେ ରାଜଭବନ ପରିସରରେ ଗାର୍ଡ଼ ଅଫ୍ ଅନର ପୋଲିସ୍ ବାହିନୀ ପକ୍ଷରୁ ପ୍ରଦାନ କରାଯାଇଥିଲା।
ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ଲେଡ଼ି ଗଭର୍ଣ୍ଣର ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି ଏବଂ ରାଜ୍ୟପାଳଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ବିାଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ, ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ରାଜ୍ୟର ପାର୍ଲାମେଂଟ ସଦସ୍ୟ, ବିଧାୟକଙ୍କ ସହିତ ରାଜ୍ୟ ଏବଂ ପୋଲିସ୍ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ ରାଜପୁତ, ଗଣମାଧ୍ୟମର ପ୍ରତିନିଧି ତଥା ନିମନ୍ତ୍ରିତ ଅତିଥି ଏହି ସମାରୋହରେ ଯୋଗ ଦେଇଥିଲେ