BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନାଟକ ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ସମାଜରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ

FMNEWS.IN 16-12-2024
Drama captivates the audience and has a lasting impact on society.

ବଲାଙ୍ଗିର:- ସାଧାରଣ ମଣିଷର କଥା, ବ୍ୟଥା ଓ ଗାଥା ଏବଂ ସର୍ବୋପରି, ତାର ଜୀବନ ଓ ଅନୁଭୂତିକୁ ନେଇ ମଞ୍ଚସ୍ଥ ହେଉଥିବା ନାଟକ ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ସମାଜରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ। ଆଜିକାଲି ମନୋରଞ୍ଜନର ବିଭିନ୍ନ ବିକଳ୍ପ ସହଜରେ ମିଳି ଯାଉଥିବାରୁ ଆମ ପାରମ୍ପରିକ ନାଟ୍ୟକଳା ସମ୍ମୁଖରେ ଏକ ବିରାଟ ଆହ୍ବାନ ସୃଷ୍ଟି ହୋଇଛି। ଯୋଜନାବଦ୍ଧ ଭାବରେ ଏହାର ସାମ୍ନା କରିବା ପାଇଁଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମଞ୍ଚ ନାଟକକୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ରଚନା ଅନୁଷ୍ଠାନ ଦ୍ଵାରା ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଆୟୋଜିତ ଆମ ମଞ୍ଚ ନାଟକ : ଆଶା ଓ ଆଶଙ୍କା ଶୀର୍ଷକ ଆଲୋଚନା ଚକ୍ରରେ ଏଭଳି ମତ ପ୍ରକାଶ ପାଇଛି। ଏଥିରେ ଅତିଥିବକ୍ତା ଭାବରେ ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଥନାପତି, ମଞ୍ଚଶିଳ୍ପୀ ଦତ୍ତାନନ୍ଦ ପଣ୍ଡା ଓ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼ ଆରତୀ ତ୍ରିପାଠୀ ଯୋଗଦେଇ ମଞ୍ଚ ନାଟକର ଇତିହାସ, ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ନିର୍ଦ୍ଦେଶକ ଅଶୋକ କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ମଞ୍ଚ ନାଟକକୁ ଆହୁରି ଗରିମାମୟ କରିବା ପାଇଁ ନାଟ୍ୟାନୁଷ୍ଠାନ, ନାଟ୍ୟକାର, ନିର୍ଦ୍ଦେଶକ ଓ କଳାକାରମାନଙ୍କ ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପକ ଜିତେନ୍ଦ୍ରିୟ ତ୍ରିପାଠୀ ଏବଂ ରଚନାର ସଭାପତି ସନାତନ ଠାକୁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସହରର ବହୁ ନାଟ୍ୟପ୍ରେମୀ, ମଞ୍ଚ କଳାକାର ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।