ନୂତନ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର
ଭୁବନେଶ୍ୱର: ରାଜ୍ୟରେ ନୂତନ ଶୀତଳ ଭଣ୍ଡାର ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ । ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ନିମନ୍ତେ ପାଣ୍ଠି ବ୍ୟବସ୍ଥା ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି ।
ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦% ଛାଡ଼ କରାଯିବ । ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ଦିଆଯିବ । ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ । ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍ରେ ରିହାତି ଦିଆଯିବ ।
ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଏହି ଯୋଜନା ରାଜ୍ୟର 58ଟି ସବ-ଡିଭିଜନରେ ଅତି କମରେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଷ୍ଟୋରେଜ୍ ସୁବିଧାକୁ ମଜବୁତ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି, ଯାହା ବେସରକାରୀ ଉଦ୍ୟୋଗୀଙ୍କୁ ଉନ୍ମୁକ୍ତ ଅର୍ଥନୈତିକ ଦୃଷ୍ଟିରୁ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଉତ୍ସାହିତ କରିବ। ଏହି ଯୋଜନା ଉନ୍ନତ ବଜାର ଦର ସୁଯୋଗ, କୃଷି ଓ ଉଦ୍ୟାନ କୃଷି ଏବଂ ସହଯୋଗୀ କ୍ଷେତ୍ର ଦ୍ରବ୍ୟର ମୂଲ୍ୟ-ଯୋଗ ଏବଂ ପ୍ରକ୍ରିୟାକରଣ, ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଓ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରୟ ହ୍ରାସ ଏବଂ ଶୀତଳ ଭଣ୍ଡାର ମାଧ୍ୟମରେ ମଧ୍ଯମ ଅବଧୂ ସଂରକ୍ଷଣ ସୁବିଧା ଯୋଗାଇ କୃଷକମାନଙ୍କ ପାଇଁ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ।