BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଯାଜପୁର ରୋଡ଼ - ଧାମରା ରେଳପଥ ମଞ୍ଜୁରୀ ଦାବିରେ ଫେବୃଆରୀ ୧୧ ହରତାଳ ପାଇଁ ଆହ୍ୱାନ

FMNEWS.IN 25-01-2025
Jajpur Road - Dhamra Railway Line: Call for hartal on February 11 to demand approval

ଭଦ୍ରକ, ୨୫ ଜାନୁଆରୀ- ଭଦ୍ରକ ଜିଲା ଧାମରା ରେଳପଥର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରେଳବାଇ ବୋର୍ଡ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଗଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ମଞ୍ଜୁରୀ ନମିଳିବାର ପ୍ରତିବାଦ ଜଣାଇ ଆସନ୍ତା ୨୦୨୫ ଫେବୃଆରୀ ୧୧ ରେ ହରତାଳ ପାଇଁ ସଂଗ୍ରାମ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆଜି ବିଜୁ କଲ୍ୟାଣ ମଣ୍ଡପ, ମଙ୍ଗଳପୁରରେ ଆବାହକ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯାଜପୁର ରୋଡ଼ - ଧାମରା ରେଳପଥ ସଂଗ୍ରାମ ସମିତିର ବୈଠକରେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟକୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ ଅବିଳମ୍ବେ ପ୍ରକଳ୍ପ ମଞ୍ଜୁରୀ ତଥା ଆଗାମୀ କେନ୍ଦ୍ର ବଜେଟରେ ବ୍ୟୟ ବରାଦ କରାନଗଲେ ହରତାଳ ପାଳନ କରାଯିବ। ଜନସାଧାରଣ ସ୍ୱେଚ୍ଛାକୃତ ଭାବେ କର୍ମକ୍ଷେତ୍ରରୁ ଦୂରେଇ ରହି ସେମାନଙ୍କ ପ୍ରତିବାଦକୁ ବଳିଷ୍ଠ ରୂପ ଦେବାକୁ ଆହ୍ୱାନ ଦିଆଯାଇଛି। ୧୦୧.୨୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ନିର୍ମାଣ କରାଗଲେ ୩୩୧୫ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଅଟକଳ କରାଯାଇଛି। ଏହି ରେଳପଥରେ ଯାଜପୁର ରୋଡ଼, ଛୋଟରାୟପୁର, ରାମପୁର-ଶଗଡ଼ି, ବାହାବଳପୁର, ଯାଜପୁର, ଜଳେଶ୍ୱରପୁର, ଶ୍ରୀପୁରା, ମଙ୍ଗଳପୁର, ଆରଡ଼ି, ଚାନ୍ଦବାଲି, ଭିତରକନିକା ଓ ଧାମରା ଆଦି ୧୨ ଟି ଷ୍ଟେସନ ରହିବ। ରେଳପଥରୁ ଶତକଡ଼ା ୨୪.୨୨ ଭାଗ ଲାଭ ହେବ ବୋଲି ମଧ୍ୟ ଆକଳନ କରାଯାଇଛି। ପ୍ରଥମ ବର୍ଷ ମାତ୍ର ଦୁଇ ଯୋଡ଼ା ଟ୍ରେନ ଚଳାଇ ୧୬ ଲକ୍ଷ ୮୪ ହଜାର ଯାତ୍ରୀଙ୍କୁ ଯାତାୟାତ ସୁବିଧା ପ୍ରଦାନ କରାଯାଇପାରିବ। ପ୍ରଥମ ବର୍ଷରେ ମଧ୍ୟ ଖଣିଜ ପରିବହନରୁ ୪୧୩ କୋଟି ଟଙ୍କା ଆୟ ହେବ। ଏହିପରି ଏକ ଲାଭଜନକ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନରେ କେନ୍ଦ୍ର ସରକାର କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଯାଜପୁର ଜିଲ୍ଲାର ସଦର ମହକୁମାକୁ ରେଳ ସଂଯୋଗ ପ୍ରତିଷ୍ଠା ହୋଇପାରିବ। ବିରଜା କ୍ଷେତ୍ର, ବ୍ୟାସ ସରୋବର, ଆରଡ଼ିର ଶୈବପୀଠ, ଧାମରାର ଧାମରାଇ ମନ୍ଦିର ଓ ଭିତରକନିକାର କୁମ୍ଭୀର ଅଭୟାରଣ୍ୟକୁ ନେଇ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ। କଳିଙ୍ଗନଗର ଓ ନାଲକୋର ଶିଳ୍ପାଂଚଳ ସହ ଧାମରା ବନ୍ଦର ସଂଯୁକ୍ତ ହୋଇପାରିବ। ସୁକିନ୍ଦା , ତାଳଚେର ଓ କେଉଁଝର ଜିଲ୍ଲାର ଖଣିଜ ସମ୍ପଦର ସରବରାହ ତ୍ୱରାନ୍ୱିତ ହେବ। ବୈତରଣୀ, ସାଳନ୍ଦୀ ଓ ଖରସ୍ରୋତା ଅବବାହିକା ଅଂଚଳର କୃଷିଜୀବୀ ଓ ମତ୍ସ୍ୟଜୀବୀ ମାନେ ଉପକୃତ ହେବେ। ଏହି ବୈଠକରେ ସଂଗ୍ରାମ ସମିତିର ମୁଖ୍ୟ ଉପଦେଷ୍ଟା ତଥା ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସମେତ ସର୍ବଶ୍ରୀ ଦେବେନ୍ଦ୍ର ପଣ୍ଡା, ସରୋଜ ମହାପାତ୍ର, କର୍ଣ୍ଣାଟ କେଶରୀ ଦାସ, ଦିବ୍ୟସିଂହ ନାୟକ, ମଳୟ ପଣ୍ଡା, ଡକ୍ଟର ବିଜୟ କିଶୋର ସାମଲ, ଦିଲ୍ଲୀପ ଦଳେଇ, ନୃସିଂହ ଦଳେଇ, ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ, ପ୍ରଫୁଲ୍ଲ ପାଢ଼ୀ, ଲଳିତ ରାୟ, ଡକ୍ଟର ହରିଶ୍ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ନାୟକ, ବିକାଶ ନାଥ, ହିମାଂଶୁ ରଞ୍ଜନ ପରିଡ଼ା, ବିଜୟ ପରିଡା, ଚନ୍ଦ୍ରଶେଖର ସାହୁ ଓ ପ୍ରିୟବ୍ରତ ବିଶ୍ୱାଳ ପ୍ରମୁଖ ଉଦବୋଧନ ଦେଇ ଫେବୃଆରୀ ୧୧ ର ହରତାଳକୁ ସଫଳ କରିବା ପାଇଁଁ ସଂକଳ୍ପ ଘୋଷଣା କରିଥିଲେ। ବିଞ୍ଝାରପୁର ବିଧାୟିକା ତଥା ପୂର୍ବତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କାର୍ଯ୍ୟ ବ୍ୟସ୍ତତା ଦୃଷ୍ଟିରୁ ଆସିନପାରି ଏହି ହରତାଳ ଡାକକୁ ବାର୍ତା ଜରିଆରେ ସମର୍ଥନ ଜଣାଇଥିଲେ।