ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବକ୍ତବ୍ୟ ବିକଶିତ ଓଡିଶା ନୁହେଁ, ବିଖଣ୍ଡିତ ଓଡିଶା ପାଇଁ ଉଦ୍ଦିଷ୍ଟ: ବିଜେଡି

ଭୁବନେଶ୍ଵର : ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବକ୍ତବ୍ୟକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ବିକଶିତ ଓଡିଶାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବିଖଣ୍ଡିତ ଓଡିଶାର ଭାଷା କହୁଛନ୍ତି । ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଯେଉଁ ଭଳି ଭାବେ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟ ଦେଇଛନ୍ତି ତାହା ବିଜେପି ଦଳର ଅସଲ ସ୍ୱରୁପର ପରିପ୍ରକାଶ । ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ, ବିଜେପିର ଏଭଳି ଆଭିମୁଖ୍ୟ ଓଡିଶାର ଏକତାକୁ କୁଠାରଘାତ କରୁଛି ।
ଡ଼ ମହାନ୍ତି ଆହୁରି କହିଛନ୍ତି ଯେ, ସମ୍ବଲପୁରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଦେଇଥିବା ଏହି ବକ୍ତବ୍ୟ ତାଙ୍କ ଅସୂୟା ମନୋଭାବ ଏବଂ ମନ୍ତ୍ରୀ ନହୋଇପାରିବାର ହତାଶା ଭାବର ପରିପ୍ରକାଶ । ଭାରତୀୟ ଜନତା ପାର୍ଟି ଏଥିପାଇଁ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ ମତ ରଖିବା ଆବଶ୍ୟକ ଏବଂ ଶ୍ରୀ ମିଶ୍ର ତାଙ୍କ ବିବାଦୀୟ ବକ୍ତବ୍ୟ ଲାଗି ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ । ନିଜ ଦଳର ବିଧାୟକଙ୍କ ଏହି ମତ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ନିତାନ୍ତ ଆବଶ୍ୟକ । ନଚେତ୍ ଓଡିଆ ଅସ୍ମିତା ଓ ବିକଶିତ ଓଡିଶାର ସ୍ଲୋଗାନ ଏକ ଫମ୍ପା ଆୱାଜ ଥିଲା ବୋଲି ରାଜ୍ୟବାସୀ ଧରିନେବେ । ଚର୍ଚ୍ଚାରେ ରହିବା ପାଇଁ ଶ୍ରୀ ମିଶ୍ରଙ୍କ ଏହି ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଜୁ ଜନତା ଦଳ ଏହାର ଦୃଢ ନିନ୍ଦା କରୁଛି ।