- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର, ୧୯ ଫେବୃଆରୀ - ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଗୁରୁବାର ଠାରୁ ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ । ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏଥିସହ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି ।
ଡ଼ା ନାୟକ ସମସ୍ତ ପରୀକ୍ଷା ପରିଚାଳନା ପ୍ରସ୍ତୁତି ତଥା ସିଟିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ପ୍ରଶ୍ନପତ୍ର ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଗୁଡ଼ିକର ସମୀକ୍ଷା କରିଛନ୍ତି । ଶିକ୍ଷକ-ଶିକ୍ଷୟିତ୍ରୀ, କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ଅଧିକାରୀଙ୍କ ସହିତ ଆଲୋଚନା କରି ସମନ୍ୱୟ ଏବଂ ପରୀକ୍ଷା ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରୀକ୍ଷାକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ବିଭାଗୀୟ ଶାସନସଚିବ ମାଧ୍ୟମିକ ଶିକ୍ଷା ପରିଷଦର କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରି ପରୀକ୍ଷା ପରିଚାଳନାର ସମସ୍ତ ପ୍ରକ୍ରିୟା ସମୀକ୍ଷା କରିଛନ୍ତି । ଶାନ୍ତିପୂର୍ଣ୍ଣ ଓ ତ୍ରୁଟିମୁକ୍ତ ପରୀକ୍ଷା ସୁନିଶ୍ଚିତ କରିବା ନେଇ ସମସ୍ତ ନିରୀକ୍ଷଣ ଓ ସମନ୍ୱୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ସୂଚନାନୁସାରେ, ରାଜ୍ୟରେ ୫ ଲକ୍ଷ ୪୬ ହଜାର ୮୭୫ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମାକୁ ମିଶାଇ ମୋଟ୍ ୫ ଲକ୍ଷ ୬୧ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ସମସ୍ତ ଜିଲ୍ଲାରେ ମୋଟ୍ ୩୩୨ ଟି ନୋଡାଲ୍ ସେଂଟର, ୩୦୮୨ ଟି ପରୀକ୍ଷା କେନ୍ଦ୍ର ରହିଛି । ପରୀକ୍ଷାର ସୁଗମ ପରିଚାଳନା ପାଇଁ ରାଜ୍ୟବ୍ୟାପୀ ୭୨ ଟି ଜିଲ୍ଲାସ୍ତରୀୟ ଫ୍ଲାଇଂ ସ୍କ୍ୱାଡ୍ ଏବଂ ୩୭ ଟି ବି.ଏସ.ଇ ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ କରାଯାଇଛି । ଏହାସହିତ ପରୀକ୍ଷା ପରିଚାଳନା ତଦାରଖ କରିବା ଏବଂ ନିର୍ଦ୍ଦେଶାବଳୀ ପାଳନ ସୁନିଶ୍ଚିତ କରିବା ପାଇଁ ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ଜଣେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।