ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 8 ଜାନୁଆରି:- ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଓଡିଶାବାସୀଙ୍କ ତରଫରୁ ସମସ୍ତଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆପଣ ମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି ସମୟ ଆପଣ ମାନଙ୍କ ସ୍ମୃତିରେ ରହିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ । ଆପଣ ମାନେ ଆମର ସାଂସ୍କୃତିକ ଆମ୍ବାସଡର । ଆପଣ ମାନେ ଆମର ଗର୍ବ । ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ଵ ଦରବାରରେ ଆପଣ ମାନେ ପହଞ୍ଚାଇବେ । ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅନେକ ଅବଦାନ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀ ମନ୍ଦିର ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ବୋଲି ପ୍ରବାସୀ ଅତିଥି ମାନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ । ଆଇଟି ଏବଂ ସ୍କିଲ୍ ଡେଭେଲପମେଣ୍ଟ କ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢୁଛି । ଟେକ୍ନୋଲଜି, ଅକ୍ଷୟ ଶକ୍ତି, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ବହୁତ ସମ୍ଭାବନା ଅଛି । ଆପଣ ମାନଙ୍କ ଉପଲବ୍ଧି ଆମକୁ ଖୁସି ଦେଇଥାଏ । ପୁରୀ, କୋଣାର୍କ, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ, ଡାଲମା, ଛେନାପୋଡ଼, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ଆନନ୍ଦ ନିଅନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ଓଡ଼ିଶା ସହ ଆପଣ ମାନଙ୍କ ସମ୍ପର୍କ ଆହୁରି ମଜବୁତ ହେବ । ଏକାଠି କାମ କଲେ ଆମେ ଆହୁରି ସଶକ୍ତ ହେବା ଏବଂ ବିକଶିତ ଭାରତ ଗଠନ ହେବ । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଓଡ଼ିଶାର ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।