ଆସନ୍ତା ୨୦ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

FMNEWS.IN 18-06-2025
Prime Minister to visit Odisha on 20th of next month
  • ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ
  • କେନ୍ଦ୍ର ସରକାରଙ୍କ ୧୧ବର୍ଷ, ଓଡିଶା ସରକାରଙ୍କ ୧ବର୍ଷ ପୂର୍ତି ଉପଲକ୍ଷେ ଓଡିଶା ଆସୁଛନ୍ତି ନିଜେ ମୋଦି
  • ରାଜ୍ୟର ସବୁ ବିଧାନସଭାର କାର୍ଯ୍ୟକର୍ତା ମୋଦିଙ୍କ ସଭାରେ ସାମିଲ ହେବେ
  • ଓଡିଶାର ସାମଗ୍ରିକ ବିକାଶରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
  • ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଉଛି

FM News):--ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ହୋଇଛି । ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ସରକାର ଓଡିଶାରେ ୧ବର୍ଷ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୨୦ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶା ଆସୁଛନ୍ତି । ଗତ ଏକ ବର୍ଷର ଅବଧିରେ ଷଷ୍ଠ ଥର ପାଇଁ ଓଡିଶା ଗସ୍ତରେ ଆସୁଥିବା ଏବଂ ଓଡିଶାକୁ ଅତ୍ୟନ୍ତ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ୨୦ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍ମ୍ୟାପ୍ ଘୋଷଣା ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଓଡିଶାର ସାମଗ୍ରିକ ବିକାଶରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ଏକ ବର୍ଷ ଭିତରେ ଓଡିଶାରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ, ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି । ସେହିପରି ରାଜ୍ୟରେ ରେଳ, ସଡକ, ବିମାନ ସେବା ଏବଂ ଭିତିଭୁମିକୁ ସୁଦୃଢ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶୃତି କାରଣରୁ ଓଡିଶାକୁ ଆଜି ବଡ ବଡ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା ଜରିଆରେ ୭୦ ଏବଂ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇ ମୋଦିଜୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଦେଇଛନ୍ତି । ମୋଦିଙ୍କ ଗ୍ୟାରେଂଟି, ଓଡିଶାର ଉନ୍ନତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସାମୁହିକ ବିକାଶ ପାଇଁ ମୋଦିଜୀ ସଂକଳ୍ପ ନେଇଛନ୍ତି ।

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଜୀ ପହଁଚିବା ପରେ ନିକଟ ବିଜୁ ପଟ୍ଟନାୟକ ଛକରୁ ଏକ ବିରାଟ ରୋଡ୍ ଶୋ ମାଧ୍ୟମରେ ଏଜି ଛକ, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନରେ ପହଁଚିବେ । ଏହି ଅବସରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ଏବଂ ପାଖାପାଖି ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ । ସଭାସ୍ଥଳରେ ପହଁଚିବା ପରେ ସେଠାରେ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡିଶା ଭିଜନ - ୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିବେ । ବିଭିନ୍ନ ଶିଳାନ୍ୟାସ ଓ ପ୍ରକଳ୍ପଗୁଡିକୁ ଭିସି ଜରିଆରେ ଲୋକାର୍ପଣ କରିବେ । (ରେଳ ସେବା, ଇଭି ବସ ଇତ୍ୟାଦି) ଏଥି ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ଏବଂ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବେ । ଅପରାହ୍ନ ୪.୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ ମୋଦିଜୀ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ସହର ସମେତ ରାଜ୍ୟର ପ୍ରମୁଖ ସ୍ଥାନକୁ ସୁସଜ୍ଜିତ କରାଯିବା ସହିତ ଧନ୍ୟବାଦ ମୋଦିଜୀ ହୋର୍ଡିଂ ଲାଗିବ । ଲକ୍ଷାଧିକ ଜନସମାଗମ ହେବ । ରାଜ୍ୟର ସମସ୍ତ ସ୍ଥାନରୁ କାର୍ଯ୍ୟକର୍ତା ଆସିବେ । ରୋଡ୍ ଶୋ ସମୟରେ ରାସ୍ତାର ଉଭୟ ପଟେ ଛିଡା ରହି ସାଧାରଣ ଜନତା ଏବଂ କାର୍ଯ୍ୟକର୍ତାମାନେ ସ୍ୱାଗତ ଜଣାଇବେ । ରାଜ୍ୟର ସବୁ ବିଧାନସଭାର କାର୍ଯ୍ୟକର୍ତା ମୋଦିଙ୍କ ସଭାରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସଫଳ କରିବା ସହ ବିକଶିତ ଓଡିଶା ନିର୍ମାଣର ଐତିହାସିକ ମୁହୁର୍ତରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।

ତାଙ୍କର ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାର୍ଟି ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ହୋଇଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଏହି ଅବସରରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।