BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ସମ୍ବଲପୁରକୁ ମିଳିବ ୫୦ଟି ନୂଆ ଇ-ବସ୍ : ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ

FMNEWS.IN 10-01-2026
Sambalpur to get 50 new e-buses: Chief Minister launches 25 e-bus services

ସମ୍ବଲପୁର, ୧୦ ଜାନୁଆରୀ- ଉଦଘାଟନ ହେଲା ଅତ୍ୟାଧୁନିକ ବସ ଟର୍ମିନାଲ l ବସ୍ ଟର୍ମିନାଲ ଓ ବସ୍ ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ମଞ୍ଜୁର l ସମ୍ବଲପୁର ବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ।

ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବସ ଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୃଟ ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଆଜି ଉଦ୍ଘାଟନ କରାଯାଇଛି। ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ବସ୍ ବ୍ୟବସ୍ଥା ଦ୍ବାରା ସମ୍ବଲପୁର ବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ବସ ଗୁଡିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରିବା ସହିତ ଯାତ୍ରୀ ମାନଙ୍କର ସୁରକ୍ଷା ଏବଂ ସୁବିଧା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଡିଜିଟାଲ ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟରେ ରିହାତିର ବ୍ୟବସ୍ଥା ମଧ୍ୟ ଏହି ବସରେ କରାଯାଇଛି। ଇ-ବସ୍ ହୋଇଥିବାରୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ବସ୍ ଗୁଡିକ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।