- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ରାଜ୍ୟ କ୍ୟାବିନେଟରେ 9 ଟି ବିଭାଗର 10 ଟି ପ୍ରସ୍ତାବକୁ ଅନୁମୋଦନ
FM News
ଭୁବନେଶ୍ୱର, 22 ଜାନୁଆରି :ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l
ମୋଟ 9 ଟି ବିଭାଗର 10 ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି l ( ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନ ସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ ) ଥିଲା l
ସେ କହିଛନ୍ତି ଯେ, ଲୋକସେବା ଭବନ ଠାରେ ଅନୁଷ୍ଠିତ ରାଜ୍ୟ କ୍ଯାବିନେଟ ବୈଠକର ଅଧ୍ୟକ୍ଷତା କରିବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛି। ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଏହି ନିଷ୍ପତ୍ତି ଗୁଡିକ ଗ୍ରହଣ କରାଯାଇଛି। ରାଜ୍ଯରେ ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ନିମନ୍ତେ ପ୍ରତି ପଞ୍ଚାୟତରେ ଏକ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୪ଟି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନକୁ ମଞ୍ଜୁର ପ୍ରଦାନ କରାଯାଇଛି। ନିଯୁକ୍ତି ସ୍ତରକୁ ୭ ରୁ ହ୍ରାସ କରି ୬ରେ ସୀମିତ ରଖିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇଦେବା ନିମନ୍ତେ ୫ ହଜାର ଡାକ୍ତର ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। କୃଷି କ୍ଷେତ୍ରରେ ଶୀତଳ ଭଣ୍ଡାରର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ଯରେ ନୂତନ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଯୋଗାଇଦେବେ। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ମୋଟ ୬୦% ଏବଂ ସାଧାରଣ ବର୍ଗଙ୍କ ପାଇଁ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ଶୀତଳଭଣ୍ଡାରକୁ ୫୦% ଯାଏ ବିଦ୍ୟୁତ୍ ଶୁଳ୍କ ରିହାତି ପ୍ରଦାନ ସହ ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଯୋଗାଇଦିଆଯିବ। ନିବେଶ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ RIR କମ୍ପାନିକୁ ରାଜ୍ଯରେ ନିବେଶ ପାଇଁ ସୁଯୋଗ ପ୍ରଦାନ କରାଯିବ, ଯାହାକି ଦେଶରେ ପ୍ରଥମ। ଏହି କମ୍ପାନୀକୁ ଇନ୍ସେନଟିଭ ବାବଦରେ ପୂର୍ବରୁ ସ୍ଥିରୀକୃତ ୩୦%କୁ ବୃଦ୍ଧି କରାଯାଇ ମୋଟ ୫୦% ପ୍ରଦାନ କରାଯିବ। ଏଥିସହ ୧୧୦ କୋଟିର ପ୍ରୋତ୍ସାହନ ରାଶି ଦ୍ଵାରା ରାଜ୍ଯର ନିବେଶ କ୍ଷେତ୍ର ଆହୁରି ସୁଦୃଢ ଏବଂ ସମୃଦ୍ଧ ହେବ। ଆସନ୍ତା ଫେବୃଆରୀ ମାସରେ ଷୋଡ଼ଶ ଅର୍ଥ କମିଶନ ଓଡ଼ିଶା ଆସିବାର ଯୋଜନା ରହିଛି। ସରକାର କମିଶନଙ୍କ ନିକଟରେ ୧୨,୫୬,୧୪୮ କୋଟି ଦାବି କରିବା ସହ ଏହି ଅର୍ଥ ରାଶିକୁ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଛନ୍ତି। ଏହି ନିଷ୍ପତ୍ତି ଗୁଡିକ ରାଜ୍ଯର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପୁଞ୍ଜି ନିବେଶ ଭଳି କ୍ଷେତ୍ରର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ। ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ସହ ଓଡ଼ିଶାର ସାମାଜିକ, ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ।
ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ l