ଗ୍ୟାସରେ ନିଆଁଲାଗି ଶିକ୍ଷୟତ୍ରୀଙ୍କ ମୃତ୍ୟୁ, ସରପଂଚ ସ୍ୱାମୀ ଗୁରୁତର

ବୌଦ୍ଧ, ୩ ଜାନୁଆରୀ:- ଗ୍ୟାସରେ ନିଆଁଲାଗି ଶିକ୍ଷୟତ୍ରୀଂକ ମୃତ୍ୟୁ ହୋଇଛି l ଅନ୍ୟପକ୍ଷରେ ତାଙ୍କୁ ରକ୍ଷା କରିବାକୁ ଯାଇ ସରପଂଚ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି l ଗୁରୁତର ଆହତ ସ୍ୱାମୀଙ୍କୁ ଚିକିସ୍ଛା ପାଇଁ ଭୁବନେଶ୍ୱର ର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଏହିଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲା ଚାରିଛକ ଠାରେ l ମୃତ ଶିକ୍ଷୟତ୍ରୀ ଜଣକ ହେଲେ ଚାରିଛକ ନିକଟସ୍ଥ କହଁର ସାହି ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ୩୦ ବର୍ଷୀୟ ବିଷ୍ଣୁ ପ୍ରିୟା ମେହେର l ଗୁରୁତର ଆହତ ସ୍ୱାମୀ ଜଣକ ହେଲେ ବାଣୀଭୁଷଣପୁର ଗ୍ରାମ ପଂଚାୟତର ସରପଂଚ ଶ୍ରୀଵନ୍ତ ମେହେର l ସୂଚନା ପ୍ରକାରେ, ଶ୍ରୀଵନ୍ତ ମେହେରଙ୍କ ନିଜ ଘର ତିଳେଶ୍ୱର ହୋଇଥିବା ବେଳେ ସେ ଶିକ୍ଷୟତ୍ରୀ ପତ୍ନୀଙ୍କ ସହ ଚାରିଛକ ଠାରେ ରହୁଥିଲେ l ଗତକାଲି ମଧ୍ୟ ରାତ୍ରିରେ ବୌଦ୍ଧ ମହୋତ୍ସବରୁ ଫେରି ଶ୍ରୀଵନ୍ତ ମେହେର ଘରେ ଶୋଇଥିବା ସମୟରେ ହଠାତ ପତ୍ନୀଙ୍କ ଚିତ୍କାର ଶୁଣି ଉଠିପଡ଼ିଥିଲେ l ରୋଷେଇ ଘରକୁ ଯାଇ ଦେଖିବା ସମୟରେ ଗ୍ୟାସରେ ନିଆଁ ଲାଗିଥିବା ଦେଖିବା ସହ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ l ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲକୁ ନିଆଯାଇଥିଲା l ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ମେହେରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଶ୍ରୀଵନ୍ତ ମେହେରଙ୍କୁ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା l ଏହିପରି ଏକ ଦୁର୍ଘଟଣା ସମଗ୍ର ଅଂଚଳରେ ଚର୍ଚାର ବିଷୟ ପାଲଟିଥିବା ବେଳେ ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ନେଇ ଶୋକର ଛାୟା ଖେଳି ଯାଇଛି l କହଁର ସାହି ପ୍ରାଥମିକ ବିଦ୍ୟାଳୟ ସମତେ ଅନ୍ୟାନ୍ୟ ବିଦ୍ୟାଳୟରେ ଶୋକସଭାମାନ କରାଯାଇ ସ୍ବର୍ଗତ ଶିକ୍ଷୟତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି l