ମା କଂଟିମଙ୍ଗଳା ପାଟୁଆ ଶୋଭାଯାତ୍ରାରେ ଅଘଟଣ, ଡିଜେ ହେଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଚାଲିଗଲା ୨ ଜୀବନ, ୪ମହିଳାଙ୍କ ସମେତ ୯ ଗୁରୁତର

FMNEWS.IN 15-04-2025
Two electrocuted to death,9 injured in Kantimangala Patua sobha yatra

ଭଦ୍ରକ, ୧୫ ଅପ୍ରେଲ - ଭଦ୍ରକ ଜିଲା ତିହିଡ଼ି ବ୍ଲକ ନୂଆନନ୍ଦ ପଂଚାୟତର ପ୍ରସିଦ୍ଧ ଦେବୀ ମା କଂଟିମଙ୍ଗଳାଙ୍କ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଡିଜେ ପାଇଁ ଚାଲିଗଲା ୨ ଯୁବକଙ୍କ ଜୀବନ। ସୋମବାର ରାତି ୧୦ଟା ସମୟରେ ପାଟୁଆ ଶୋଭାଯାତ୍ରା ଯାଉଥିବା ଡିଜେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ମହିଳା, ୩ବାଳକଙ୍କ ସମେତ ୯ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରକାଶ ଯେ, ତିହିଡି଼ ଥାନା ଅଧୀନ ନୂଆନନ୍ଦ ଗ୍ରାମସ୍ଥିତ ମା କଂଟି ମଙ୍ଗଳାଙ୍କ ପୀଠରେ ସୋମବାର ପଣା ସଂକ୍ରାନ୍ତି ଉପଲକ୍ଷେ ପାଟୁଆ ଯାତ୍ରା ଅନୁଷ୍ଠିତ ହେଉଥିଲା। ତେବେ ହାଟୁଆରୀ ଗ୍ରାମରୁ ପାଟୁଆମାନେ ଏକ ଶୋଭାଯାତ୍ରାରେ ମାଙ୍କ ପୀଠକୁ ଡିଜେ ବଜାଇ ଯାଉଥିଲେ। ହାଟୁଆରି ଛକରେ ଶୋଭାଯାତ୍ରାରେ ଥିବା ଡିଜେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଡିଜେ ଚାର୍ଜ ହୋଇଯିବାରୁ ଡିଜେ ନିକଟରେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ହାଟୁଆରି ଗ୍ରାମର ମାନସ ମଲିକ(୩୨) ଏବଂ ଆରସା ଗ୍ରାମର ଶରତ ମହାଳିକ (୩୨)ଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ପାଳିଆବିନ୍ଧା ଗ୍ରାମର ଲଷ୍ମୀପ୍ରିୟା ମଲ୍ଲିକ (୫୦) ଓ ଅନିତା ନାୟକ (୪୫), ହାଟୁଆରି ଗ୍ରାମର ଅଭିଷେକ ମହାଳିକ(୧୦), ସାନୁ ମହାଳିକ (୧୨), ସ୍ୱପ୍ନାରାଣୀ ଦାସ (୪୫) ଓ ଧନଞ୍ଜୟ ବେହେରା(୧୬), ତଳବନ୍ଧ ଗ୍ରାମର ହରିହର ଦାସ (୪୯), ସତ୍ୟପ୍ରକାଶ ଦାସ (୧୦) ଓ ଆଲମନା ଦାସ (୧୬) ବୋଲି ଜଣାପଡ଼ିଛି। ତେବେ ଅତି ଗୁରୁତର ଥିବାରୁ ଲଷ୍ମୀପ୍ରିୟା ଏବଂ ସ୍ୱପ୍ନାରାଣୀଙ୍କୁ ସୋମବାର ରାତିରେ ଏବଂ ମଙ୍ଗଳବାର ଅନିତା ଓ ସତ୍ୟପ୍ରକାଶଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ତେବେ ଏହି ଅଘଟଣ ପରେ ନୂଆନନ୍ଦ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସଦଳବଳେ ଗ୍ରାମରେ ପହଂଚି ଉତେଜନାକୁ ନିୟନ୍ତ୍ରଣ କରିଥିଲେ। ମଙ୍ଗଳବାର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତିହିଡି଼ ଥାନାରେ ଏହି ଘଟଣାକୁ ନେଇ କେଶ ନଂ ୧୪୨/୨୫ରେ ଏକ ମକଦ୍ଦମା ରୁଜୁ ହୋଇଥିବା ବେଳେ ପୋଲିସ ଡିଜେ ସାଉଣ୍ଡକୁ ଜବତ କରିଛି। ସୂଚନାଯୋଗ୍ୟ ଯେ ତିହିଡି଼ ବ୍ଲକର ବିଭିନ୍ନ ଅଂଚଳରେ ଡିଜେକୁ ନେଇ ଅଘଟଣ ଘଟିଚାଲିଛି। କାଳୀମେଘା ମେଳଣ ଶୋଭାଯାତ୍ରାରେ ଡିଜେରୁ ଖସି ଜଣେ ଯୁବକଙ୍କର ଏବଂ ପୀରହାଟ ଥାନା ଅଧୀନ ମାଲପୁର ଗ୍ରାମରେ ଏକ ଭସାଣି ଶୋଭାଯାତ୍ରାରେ ଡିଜେରୁ ଖସିପଡ଼ି ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଡିଜେର ଶବ୍ଦ ପାଇଁ ହୃଦଘାତ ପରି ଶୋଚନୀୟ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାହିଁକି ଡିଜେ ବନ୍ଦ କରାଯାଉନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଗତକାଲି ରାତିରେ ଏହି ଅଘଟଣର ଖବର ପାଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଭଦ୍ରକ ମେଡିକାଲରେ ପହଂଚି ସ୍ଥିତିକୁ ଅନୁଧ୍ୟାନ ପୂର୍ବକ ଆହତଙ୍କ ଚିକିତ୍ସାର ପ୍ରତିକାର କରିଥିଲେ। ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଜିଲାପାଳ ଶ୍ରୀ ରାଉତରାୟ ଅଘଟଣ ଘଟିଥିବା ଡିଜେଟି ବିନା ପୁଲିସ୍ ଅନୁମତିରେ ବଜାଉଥିବାରୁ ସେ ଦିଗରେ ଦୃଷ୍ଟାନ୍ତମୂଳକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।