ବଣେଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ : ୪ କୋଟିରୁ ଅଧିକ ସଂପତିର ସନ୍ଧାନ

ରାଉରକେଲା, ୩୦ ଜାନୁଆରୀ- ରାଉରକେଲା ଭିଜିଲାନ୍ସରେ କାମ ହେଉନଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ମାତ୍ର ୩ ମାସ ଚାକିରୀ ଥିବା ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକଙ୍କୁ ରାଉରକେଲା ବଦଳି କରାଜିବା ପରେ ଯାହା କୁହାଯାଉଥିଲା ଅବସର ସମୟରେ ସେ ଆଉ କରିବେ କଣ, କିନ୍ତୁ ଶ୍ରୀ ନାୟକ ତାକୁ ଭୁଲ ପ୍ରମାଣିତ କରିବା ସହ ନିଜ ଅବସର ସମୟର ଫାଇଲ ପ୍ରସ୍ତୁତ କରିବା ସହ ରାଉରକେଲା ଭିଜିଲାନ୍ସ ଅଫିସ ର ସମସ୍ତ କର୍ମଚାରୀ ମାନଙ୍କୁ କାମରେ ଲଗାଇ ଆଜି ଏକ ବଡ ଧରଣର ଚଢଉ କରିବାରେ ସଫଳ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଆଇ ଟି ଡି ଏ ପ୍ରକଳ୍ପ ଅଧିକାରୀ ବିଶ୍ୱ ସାହୁଙ୍କର ଆଠରୁ ୯ଟି ଯାଗାରେ ଚଢଉ କରି ପ୍ରାୟ ୪ କୋଟି ରୁ ଅଧିକ ଟଙ୍କାର ଆୟବର୍ହିଭୁତ ସଂପତିର ସଂଦ୍ଧାନ ପାଇଛନ୍ତି । ପିଏ ଆଇଟିଡିଏ ବଣେଈ ଶ୍ରୀ ସାହୁ ତାଙ୍କର ୨୦ ବର୍ଷ ଚାକିରୀ ଭିତରେ ଏହି ସଂପତି ଠୁଳ କରିଥିବା ଏସପି ଭିଜିଲାନ୍ସ ରାଉରକେଲା ସୂଚନା ଦେଇଛନ୍ତି ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ବଣେଇ, ଭୁବନେଶ୍ୱର, ବାଲେଶ୍ୱର ଓ ଜାଜପୁର ସମେତ ବିଭିନ୍ନ ସ୍ଥ।ନରେ ଚଢଉ ବେଳେ ବହୁ ମୂଲ୍ୟବାନ ୯ଟି ପ୍ଲଟ, ଗୋଟିଏ ଘର ୨ଟି ଫ୍ଲାଟ ଯାହାର ମୂଲ୍ୟ ୩ କୋଟି ୧୫ ଲକ୍ଷ । ୪ ଚକିଆ ଗାଡି ୧ଟି, ୨ ଚକିଆ ୪ଟି , ଏହାର ମୂଲ୍ୟ ୧୩ ଲକ୍ଷରୁ ଅଧିକ । ବ୍ୟାଙ୍କ ଡିପୋଜିଟ ୫୨ ଲକ୍ଷ ୧୮ହଜାରରୁ ଅଧିକ, ସୁନା ରୁପା ପ୍ରାୟ ୮ଲକ୍ଷ ୩୦ ହଜାରରୁ ଅଧିକ, ଘରୁ ୨ ଲକ୍ଷ ୫ ହଜାର ନଗଦ କ୍ୟାସ ବାହାରିଥିବା ବେଳେ, ୧୦ ଲକ୍ଷରୁ ଅଧିକ ବିମା, ଘରେ ଥିବା ଜିନିଷପତ୍ରର ମୂଲ୍ୟ ୮ଲକ୍ଷ ବୋଲି ଆକଳନ କରାଯାଇଛି । ଆଜି ସଂଧ୍ୟା ସୁଦ୍ଧା ୪ କୋଟି ୮ଲକ୍ଷ ଟଙ୍କାର ସଂପତିର ସଂଦ୍ଧାନ ମିଳିଥିବା ଭିଜିଲାନ୍ସ କହିଛି । ତେବେ ନୂଆ ବର୍ଷ ଆରମ୍ଭରୁ ରାଉରକେଲା ଭିଜିିଲାନ୍ସରେ ମାତ୍ର ୩ ମାସ ରହି ଜଣେ ଅଧିକାରୀ ସମସ୍ତ ଅଫିସରଙ୍କୁ ସାଙ୍ଗରେ ନେଇ ଏତେ ବଡ ଚଢଉ ଯଦି କରିପାରିଲେ ତେବେ ବିଗତ ବର୍ଷ ବର୍ଷ ଧରି ଏଠାରେ କାହିଁକି ଆଖିଦୃଶିଆ ମାମଲା ହୋଇପାରୁ ନଥିଲା ତାହା ଏବେ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ଜିଲ୍ଲାର ବଣେଇ ସମେତ ରାଉରକେଲାରେ ଭିଜିଲାନ୍ସ ଆଦୌ ସକ୍ରୀୟ ନୁହେଁ ବୋଲି ଅନେକ ଅଭିଯୋଗ ହୋଇଆସୁଥିଲା, ରାଜ୍ୟ ମୁଖିଆ ମଧ୍ୟ ସବୁ କିଛି ଜାଣି ଚୁପ ରହୁଥିଲେ , ତେବେ ବିଳମ୍ବରେ ହେଉ ପଛେ ରାଉରକେଲା ଭିଜିଲାନ୍ସ ଏକ ବଡ ଧରଣର ମାମଲା କରିବାରେ ସଫଳ ହେଲା ବୋଲି ଆଲୋଚନା ଚାଲିଛି । ତେବେ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ଏସପି ନରହରି ନାୟକ ଯାହା କରିଦେଇ ଗଲେ ତାହା ଆଗାମୀ ଅଧିକାରୀ ମାନଙ୍କ ଲାଗି ଉଦାହରଣ ହୋଇ ରହିବ ବୋଲି ମତ ପ୍ରକାଶ ପାଇଛି । ହେଲେ ରାଉରକେଲା ମହାନଗର ନିଗମ , ଫାକ୍ଟ୍ରୀ ବୟଲର, ଶ୍ରମ ବିଭାଗ, ମାପ ଓଜନ ବିଭାଗ, ପୁର୍ତ ବିଭାଗ, ଅବକାରୀ ବିଭାଗ, ବାଣିଜ୍ୟ କର ବିଭାଗ ସମେତ ବହୁ ଦୁଧିଆଳି ବିଭାଗରେ ଅନେକ କୁବେର ରହିଥିବା କୁହାଯାଉଛି। ଏମାନଙ୍କ ଉପରେ କେବେ ଭିଜିଲାନ୍ସର ନଜର ପଡୁଛି ତାକୁ ସାଧାରଣରେ ଅପେକ୍ଷା କରାଯାଇଛି ।