ବିଜେପି ଦଳ ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ବିରୋଧୀ – କଂଗ୍ରେସ

FMNEWS.IN 26-10-2025
ବିଜେପି ଦଳ ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ବିରୋଧୀ – କଂଗ୍ରେସ

ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତିର ବହୁ ଜବକାର୍ଡଧାରୀଙ୍କୁ କାମ ମିଳୁ ନାହିଁ

ଭୁବନେଶ୍ୱର :ଡବଲ ଇଞ୍ଜିନ ସରକାର ଗଠନ ହେଲାପରେ ରାଜ୍ୟର ଜନସାଧାରଣଙ୍କ ମନରେ ଦ୍ରୁତ ପ୍ରଗତୀର ଆଶା ସଂଚାର ହୋଇଥିଲା । ୨୦୨୪ ସାଧାରଣ ନିର୍ବାଚନ ସମୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭକରି ବହୁ ବିଜେପି ଦଳର କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତା ରାଜ୍ୟବାସୀଙ୍କୁ ବହୁ ଆଶା ଓ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଥିଲେ । ଓଡ଼ିଆ ଅସ୍ମିତା ଦାଦନ ସମସ୍ୟାର ସଂପୂର୍ଣ୍ଣ ସମାଧାନ, ଅଭାବୀ ବିକ୍ରି ଓ କୃଷକ ସମାସ୍ୟାର ସମାଧାନ, ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ଓ ଯୁବ ବର୍ଗଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୧୬ ମାସର ସରକାର ହେଲାପରେ ମଧ୍ୟ କୌଣସି ଗୋଟିଏ ସମସ୍ୟାର ସମାଧାନ ହେଲା ନାହିଁ । ରାଜ୍ୟରେ ବିଜେପି ସରକାରରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଲେ। ଏପରିକି ମହାମହିମ ରାଷ୍ଟ୍ରପତି ମହୋଦୟା ମଧ୍ୟ ଓଡ଼ିଶାରୁ ଏବଂ ଏହି ଜନଜାତି ବର୍ଗର। କିନ୍ତୁ ରାଜ୍ୟରେ ଏହି ୧୬ ମାସ ମଧ୍ୟରେ ଆଦିବାସୀ ବର୍ଗଙ୍କ ଉପରେ ଅଧିକ ଅତ୍ୟାଚାର ଓ ଆକ୍ରମଣ ବୃଦ୍ଧି ଘଟିବା ସହିତ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗଙ୍କୁ କିଭଳି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ମିଳିବ ନାହିଁ ସେଥିପାଇଁ ଏକ ଷଡଯନ୍ତ୍ର କରିଛନ୍ତି ବୋଲି ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ସମସ୍ତ ତଥ୍ୟ ସହ ଏ ସରକାରର ଆଦିବାସୀ ବିରୋଧୀ ନୀତି ଓ ନିଷ୍ପତ୍ତିର ଖୁଲାସା କରିଛନ୍ତି ।

ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ସେ କହିଲେ ଯେ ଦୀର୍ଘ ୨୪ ବର୍ଷ ଧରି ବିଜୁ ଜନତା ଦଳ ରାଜ୍ୟରେ ଶାସନରେ ଥିବା ବେଳେ ୯ ବର୍ଷ ଧରି ଭାରତୀୟ ଜନତାପାର୍ଟି ମିଳିତ ସରକାରରେ ଥିଲା । ୨୦୨୪ ମସିହା ପାଖରୁ ୧୬ ମାସ ଧରି ରାଜ୍ୟରେ ବିଜେପି ସରକାର ଏବଂ ଜଣେ ଆଦିବାସୀ ବର୍ଗର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ନୂଆପଡ଼ା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆଦିବାସୀ ମାନଙ୍କର ବିକାଶ ପାଇଁ ଏପର୍ଯ୍ୟନ୍ତ ଆଇଟିଡିଏ ଅଫିସଟିଏ ଖୋଲାଯାଇ ପାରିଲା ନାହିଁ । ରାଜ୍ୟ କଂଗ୍ରେସର ପ୍ରତିଶ୍ରୁତି ନୂଆପଡ଼ା ଉପନିର୍ବାଚନ ସରିଲେ ନୂଆପଡ଼ାରେ ଅଞ୍ଚଳରେ ଆଇଟିଡିଏ ଅଫିସ ଖୋଲିବାପାଇଁ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ସହିତ ସମସ୍ତ ଚାପ ପ୍ରୟୋଗ କରି ଏ କାର୍ଯ୍ୟ କରିବ ।

ଶ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଓଡ଼ିଶାରେ ବିଜେପି ଦଳ ଓ ସରକାର ରାଜ୍ୟର ଆଦିବାସୀ ଓ ଅନୁସୂଚିତ ଜାତିବର୍ଗଙ୍କର ଘୋର ବିରୋଧୀ ବୋଲି । ଏହି ସନ୍ଦର୍ଭରେ ସେ କହିଥିଲେ ଯେ ରାଜ୍ୟରେ ୩୧୪ ବ୍ଲକ ଓ ୬୭୯୪ ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏ ପର୍ଯ୍ୟନ୍ତ ୬୭ଲକ୍ଷ ୨୪ ହଜାର ଲୋକଙ୍କୁ ଜବକାର୍ଡ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ମାତ୍ର ୪୪ଲକ୍ଷ ୭୦ ହଜାର ଆକ୍ଟିଭ ଜବକାର୍ଡ ଅଟେ । ଏହି ସମସ୍ତ ଜବକାର୍ଡଧାରୀଙ୍କ ମଧ୍ୟରୁ ଆଦିବାସୀ ବର୍ଗର ସଂଖ୍ୟା ୩୭ ପ୍ରତିଶତ ହୋଇଥିଲା ବେଳେ ଅନୁସୂଚିତ ଜାତିବର୍ଗର ଜବକାର୍ଡଧାରୀ ମାତ୍ର ୧୪.୭ ପ୍ରତିଶତ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ୨୦୦୫ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଆଣିଥିଲେ । ଏହି ନିୟମ ଅନୁସାରେ ଗ୍ରାମାଞ୍ଚଳରେ କାମ କରିବାପାଇଁ ଆଶାୟୀ ଗରିବ ଲୋକଙ୍କୁ ୧୦୦ ଦିନର କାମ ପ୍ରଦାନ କରିବା ନିମନ୍ତେ ଆଇନ କରାଯାଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଓଡ଼ିଶାରେ ଏହି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭୫୦ ଲକ୍ଷଟଙ୍କା ଖର୍ଚ୍ଚ କରାଯାଇଥିଲା ବେଳେ ୨୦୨୪-୨୫ ମୋହନ ମାଝୀଙ୍କ ସରକାର ସମୟରେ ଏହାର ପରିମାଣକୁ ୧୫ଶହ ଲକ୍ଷ ଟଙ୍କାକୁ କମ୍ କରିଦିଆଗଲା ଏବଂ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଏହାକୁ ୧୨୦୦ ଲକ୍ଷକୁ ଆହୁରି କମାଇ ଦିଆଯାଇଛି । ଅର୍ଥାତ ମୋହନ ମାଝୀଙ୍କ ଏହି ୧୬ ମାସ ସରକାର ଭିତରେ ମନରେଗାରେ ୫୫୦ଲକ୍ଷ ଟଙ୍କା ବ୍ୟୟ ଯାହା ମଜୁରି ବାବଦରେ ଦିଆଯାଉଥିଲା କମାଇ ଦିଆଯାଇଛି । ଏହାଦ୍ୱାରା ରାଜ୍ୟରେ ଲକ୍ଷ ଲକ୍ଷ ଆଦିବାସୀ ଓ ଅନୁସୂଚିତ ଜାତିର ପରିବାର ଗ୍ରାମାଞ୍ଚଳରେ କାମପାଇବା ପରିବର୍ତ୍ତେ ବେରୋଜଗାର ହୋଇ ନିଜ ଅଞ୍ଚଳ ଛାଡ଼ି ଦେଶର ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଚାଲିଯାଉଛନ୍ତି । ଏହି ଭୁଲ ନୀତି ଓ ନିଷ୍ପତ୍ତି ଯୋଗୁଁ ଆଜି ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ନିଜ ଭିଟାମାଟି ଛାଡ଼ି, ବାପ ମାଙ୍କୁ ଛାଡ଼ି ଘରେ ତାଲା ପକାଇ ବିଦେଶରେ ଦାଦନ ଖଟିବାପାଇଁ ଯାଉଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ବର୍ଗର କିନ୍ତୁ ଆଦିବାସୀ ମାନଙ୍କୁ କାମ ଯୋଗାଇଦେବା ପରିବର୍ତ୍ତେ ତାଙ୍କୁ କିଭଳି ନିଜ ଅଞ୍ଚଳରେ କାମ ନମିଳିବ ସେ ନିଷ୍ପତ୍ତି କିପରି ନେଲେ? ଏହା କଣ ରାଜ୍ୟ ସରକାରଙ୍କର ଆଦିବାସୀ ଓ ଅନୁସୂଚିତ ଜାତିବର୍ଗର ଲୋକଙ୍କ ପ୍ରତି ପ୍ରୀତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ଦୁଃଖର କଥା, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ଜବକାର୍ଡଧାରୀ ୫୬ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ମାତ୍ର ୩୭ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଉଛି । ଏହି ୧୬ ମାସ ଭିତରେ ୧୯ ଜବକାର୍ଡ ଧାରୀ ପରିବାରକୁ ୧୦୦ ଦିନର କାମ ଦିଆଯିବାର ଯେଉଁ ଆଇନ ରହିଛି ତାହାର ଖୋଲା ଉଲ୍ଲଙ୍ଘନ କାହିଁକି ହେଉଛି ? ଯଦି ଆଦିବାସୀ ଓ ଅନୁସୂଚିତ ଜାତିବର୍ଗ ସମୁଦାୟ ଜବକାର୍ଡଧାରୀଙ୍କ ଭିତରୁ ୫୨ ପ୍ରତିଶତରୁ ଅଧିକ, ତାହେଲେ ଯେତେବେଳେ ମନରେଗାର ଅର୍ଥରାଶିକୁ କମାଇ ଦିଆଯାଉଛି ଏବଂ ୬୩ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଉ ନାହିଁ। ତାହା ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଆଦିବାସୀ ଓ ଅନୁସୂଚିତ ଜାତିବର୍ଗ ହେଉଛନ୍ତି କି ନାହିଁ ଏହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ ।

ରାଜ୍ୟ କଂଗ୍ରେସର ଅନ୍ୟତମ ମୁଖପାତ୍ର ଆଡଭୋକେଟ ଜୟଶ୍ରୀ ପାତ୍ର ନୂଆପଡ଼ା ଜିଲ୍ଲାରେ ଆଦିବାସୀ ମାନଙ୍କ ବିକାଶ ପାଇଁ ତୁରନ୍ତ ଆଇଟିଡିଏ ଖୋଲାଯାଉର ଦାବି ରଖିବା ସହିତ ରାଜ୍ୟ କଂଗ୍ରେସ ଏ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାପାଇଁ ସଭାପତିଙ୍କ ନେତୃତ୍ୱରେ ଦୁର୍ବାର ଆନ୍ଦୋଳନ କରିବ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସର ଅନ୍ୟତମ ମୁଖପାତ୍ର ନଳିନୀକାନ୍ତ ନାୟକ ଓ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।