BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଉଠାଦୋକାନୀଙ୍କ ଆହାର ମୁହଁରେ ପାହାର ଦେଉଛି ବିଏମ୍‌ସି ଓ ବିଜେପି ସରକାର : ୟାସିର

FMNEWS.IN 04-01-2025
BMC and BJP government are giving food to the poor: Yasir

ଭୁବନେଶ୍ୱର, ୦୪ ଜାନୁଆରୀ - ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶନିବାର ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ତଥା ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱର ଉଠାଦୋକାନୀଙ୍କ ଉପରେ ବିଜେପି ସରକାର ଓ ବିଏମ୍?ସିର ଦୌରାତ୍ମ୍ୟ ହିଟଲରୀରାଜର ବର୍ବରତାକୁ ଅତିକ୍ରମ କରିଛି। ବିଏମ୍?ସି ଓ ବିଜେପି ସରକାର ଉଠାଦୋକାନୀଙ୍କ ଆହାର ମୁହଁରେ ପାହାର ଦେଉଛନ୍ତି। ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଉଠାଦୋକାନୀମାନଙ୍କ ଜୀବନ ଜୀବିକାର ସୁରକ୍ଷା ଓ ନିୟନ୍ତ୍ରଣ ଆଇନ-୨୦୧୪ ପ୍ରଣୟନ କରିଥିଲେ। ଯେଉଁଥିରେ ଉଠାଦୋକାନୀଙ୍କ ପାଇଁ ବ୍ୟବସାୟ କ୍ଷେତ୍ରରେ ନିରାପତା ଓ ଗୁଜୁରାଣ ମେଂଟାଇବା ପାଇଁ ଅଧିକାର ଦିଆଯାଇଥିଲା। ବର୍ତମାନ ବିଜେପି ସରକାର ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆଳରେ ଉଠାଦୋକାନୀଙ୍କ ଜୀବିକାକୁ ମୂଳପୋଛ କରିଦେଉଛନ୍ତି। ଏହି ଆଇନ ବଳରେ ସାରା ଦେଶରେ ଚାରିକୋଟି ଉଠାଦୋକାନୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରାୟ ୩୦ କୋଟି ଲୋକଙ୍କ ଜୀବନ ଜୀବିକାର ବ୍ୟବସ୍ଥା ହୋଇଥିଲା। ମାତ୍ର ବିଜେପି ସରକାର ଉଠାଦୋକାନୀଙ୍କର ସ୍ୱାର୍ଥ ବିରୋଧୀ ବୋଲି ତାର ନୀତି ନିଷ୍ପତିରୁ ପ୍ରମାଣିତ ହେଉଛି।

ଭୁବନେଶ୍ୱରରେ ଏବେ ପ୍ରାୟ ୫୬ଟି ରାସ୍ତାକୁ ଖାଲି କରି ୭ ହଜାର ଉଠାଦୋକାନୀଙ୍କୁ ବେରୋଜଗାର କରିବା ପାଇଁ ନିଷ୍ପତି ନିଆଯାଇଛି। ଗତ ହକି ଖେଳ ସମୟରେ ୫ ହଜାର ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ଯେଉଁଥିରେ ପ୍ରାୟ ୨୦ ହଜାର ଲୋକ ନିଜର ଜୀବିକା ହରାଇଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ। ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୭ ହଜାର ଉଠାଦୋକାନୀଙ୍କର ଜୀବିକା ସରକାର ଛଡ଼ାଇ ନେଉଛନ୍ତି। ଯେଉଁଥିରେ ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହେବେ।

ଏବେ ଉଠାଦୋକାନୀ ନିଜ ମାଟିରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଅନୁଭବ କରୁଛନ୍ତି। କାରଣ ପୋଲିସ୍ ଲଗାଇ ଦୁର୍ବ୍ୟବହାର କରି ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନକୁ ଭାଙ୍ଗି ଦିଆଯାଉଛି, ସେମାନଙ୍କର ପରିବାରର ଅବସ୍ଥା ବିଏମ୍ସି କର୍ତୃପକ୍ଷ ଏବଂ ବିଜେପି ସରକାର ବିଚାରକୁ ନେଉନାହାଁନ୍ତି। ଉଠାଦୋକାନୀମାନଙ୍କ ଜୀବନ ଜୀବିକାର ସୁରକ୍ଷା ଓ ନିୟନ୍ତ୍ରଣ ଆଇନ-୨୦୧୪ ନିୟମ ଅନୁସାରେ ଉଠାଦୋକାନୀଙ୍କ ସହ ଆଲୋଚନା କରାନଗଲେ ଉଚ୍ଛେଦ ହୋଇପାରିବ ନାହିଁ। ସେମାନଙ୍କ ସହ ଆଲୋଚନା କରିବା ବାଧ୍ୟତାମୂଳକ। ଯଦି ରାସ୍ତା କିମ୍ବା ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉଚ୍ଛେଦ ଆବଶ୍ୟକ ପଡ଼େ, ତେବେ ପ୍ରଥମେ ଥଇଥାନ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେବା ଦରକାର। କ୍ଷତିଗ୍ରସ୍ତ ଦୋକାନୀଙ୍କର ସହମତି ଅନୁଯାୟୀ ତାଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରିହେବ। ଅନ୍ୟ ସ୍ଥାନରେ ଯଦି ସେମାନେ ବ୍ୟବସାୟରେ କ୍ଷତି ସହନ୍ତି, ତେବେ ବିଏମ୍ସି ବା ସରକାରଙ୍କ ପକ୍ଷରୁ ଭରଣା କରାଯିବା କଥା। ବଳ ପୂର୍ବକ ଉଚ୍ଛେଦ ସମ୍ବିଧାନ ବିରୋଧୀ ଅଟେ। ବିଏମ୍?ସିରେ କର୍ପୋରେଟର ଏବଂ ପ୍ରଭାବଶାଳୀ ଲୋକମାନେ ସେମାନଙ୍କ ପରିବାର ନାମରେ ଏକାଧିକ ଦୋକାନ ନେଇଛନ୍ତି। ଟାଉନ ଭେଣ୍ଡିଂ କମିଟିରେ ଉଠାଦୋକାନୀଙ୍କୁ ରଖାନଯାଇ ଯେଉଁମାନେ ଓପେଲ ଫେଡ୍ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥାରେ ଉପକୃତ ହୋଇଛନ୍ତି, ସେହିମାନଙ୍କୁ ରଖାଯାଉଛି। ସୁତରାଂ ଉଠାଦୋକାନୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଉଛି।

ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି ଯେ, ସରକାର ଲୋକଙ୍କୁ ନିଯୁକ୍ତି ଦେଇପାରୁ ନାହାଁନ୍ତି, ଲୋକେ ଦାଦନ ଖଟୁଛନ୍ତି। ଯଦି ନିଜ ବ୍ୟବସ୍ଥାରେ ଲୋକେ କିଛି ବ୍ୟବସାୟ ପ୍ରତିଷ୍ଠାନ କରି ଚଳୁଛନ୍ତି, ସେଥିରେ ବିଜେପି ସରକାର ଏବଂ ବିଏମ୍ସି ବାଧକ ସାଜୁଛି। ଶ୍ରୀ ନୱାଜ କହିଛନ୍ତି ଯେ, ଭୁବନେଶ୍ୱରରେ ୪୦୦ ଅନୈତିକ ଆପାର୍ଟମେଂଟ ସରକାର ଭାଙ୍ଗିପାରୁ ନାହାଁନ୍ତି, ଡି.ଏନ୍ ଗ୍ରୁପକୁ ଖୋଲା ହାତରେ ସାହାଯ୍ୟ ଦିଆଯାଇ ଜାଗା ଯୋଗାଇ ଦିଆଯାଉଛି। କର କ୍ଲିନିକ ଆଦି ବହୁ ପ୍ରତିଷ୍ଠାନ ବେଆଇନ ଜାଗା ଉପରେ ନିର୍ମିତ ହୋଇଛି, ଜୟଦେବ ବିହାର ଏବଂ ଇସ୍କନ ମନ୍ଦିର ପାଖରେ ଡ୍ରେନ୍କୁ ବନ୍ଦ କରାଯାଇ ବିଲଡ଼ରମାନେ ଅଟ୍ଟାଳିକା ତିଆରି ହୋଇଛି, ପଟିଆ ବିଗ୍ ବଜାର ପାଖରେ ଷ୍ଟଲୱାର୍ଡ଼ ବିଲଡ଼ର ବହୁ ବେଆଇନ ଜାଗା ମାଡ଼ିବସିଛି ବୋଲି ଅଭିଯୋଗ ହେବା ସତ୍ୱେ ମଧ୍ୟ ସରକାର ଆଖି ବୁଜିଦେଇଛନ୍ତି। ଆଗ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ। ସୁତରାଂ ଉଠାଦୋକାନୀଙ୍କ ଉଚ୍ଛେଦ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଯେଉଁମାନଙ୍କ ଦୋକାନ ଭାଙ୍ଗି ଦିଆଯାଇଛି, ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ବ୍ୟବସ୍ଥା କରିବା ସହ ସେହି ସ୍ଥାନରେ ପୁନଃ ଥଇଥାନ କରାଯାଉ। ସରକାର ଯଦି ଏହାର ବିଚାର ନକରନ୍ତି, ତେବେ ଆମ୍ଭେ ଆନ୍ଦୋଳନକ ଓହ୍ଲାଇବୁ। ଏହି ସାମ୍ବାଦିକ ସମ୍ମିଳନୀରେ ରଣଜିତ ପାତ୍ର, ମନୋଜ ବିଶ୍ୱାଳ, ରଜନୀ ମହାନ୍ତି ଓ ସୁଦୀପ ସାମଲ ଉପସ୍ଥିତ ଥିଲେ।