- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ସ୍ୱତନ୍ତ୍ର କୋସଳ ରାଜ୍ୟ ଗଠନ ସହ ବନ୍ଦେ ଉତ୍କଳ ଜନନୀର ପ୍ରତ୍ୟାହାର ପାଇଁ ବିଧାନସଭା ଓ ପାର୍ଲାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଣିବାକୁ ପ୍ରମୋଦ ମିଶ୍ରଙ୍କ ଦାବି
ବଲାଙ୍ଗିର, ୧୬ ମାର୍ଚ୍ଚ - ସଂପ୍ରତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବୃତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି। କୋସଲ ରାଜ୍ୟ ଦାବୀ ସପକ୍ଷରେ ମତ ଦେଇଥିବାରୁ ଓ ବନ୍ଦେ ଉତ୍କଳ ଜନନୀ ପ୍ରାସଂଗିକତା ପ୍ରତି ପ୍ରଶ୍ନବାଦୀ ସୃଷ୍ଟି କରିଥିବାରୁ ଶ୍ରୀ ମିଶ୍ରଙ୍କୁ କୋସଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଛି। ଅତୀତରେ ମଧ୍ୟ ତତ୍କାଳୀନ ଲୋଇସିଂହା ବିଧାୟକ ବାଳଗୋପାଳ ମିଶ୍ର ଯେତେ ବେଳେ ବିଧାନସଭାରେ କୋସଲ ପ୍ରସଙ୍ଗ ଉଠାଇଥିଲେ ଓ ପରବର୍ତ୍ତୀ ସମୟରେ ରଥଯାତ୍ରା କରିଥିଲେ ସେତେବେଳେ ସମଗ୍ର କୋଶଳାଂଚଳରେ ତାଙ୍କୁ ବ୍ୟାପକ ସମର୍ଥନ ଦିଆଯାଇ ଥିଲା। ବିଭିନ୍ନ ସମୟରେ କୋସଲ ଦାବୀ ସଂପର୍କରେ ମତ ଦେଇ ପୂର୍ବତନ ମନ୍ତ୍ରୀ ନବ ଦାସ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖଙ୍କୁ କୋସଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଥିଲା। କୋସଲ ଆନ୍ଦୋଳନ ସହ ସଂପର୍କିତ ଦୁଇ ଜଣ ବନ୍ଧୁ ସ୍ୱର୍ଗତ ସୁବଳ ସାହୁ ଓ ପ୍ରଦୀପ ପୁରୋହିତ ବିଧାୟକ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମର୍ଯ୍ୟଦା ଦିଆଯିବା ପ୍ରସଙ୍ଗକୁ ବିରୋଧ କରିଥିବାରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତି ସିଂହଙ୍କ ମଧ୍ୟ ବିପୁଳ ସମର୍ଥନ ଦିଆଯାଇ ଥିଲା। କିନ୍ତୁ ଆଜି ଯାଏ ବିଧାନସଭା କିମ୍ବା ପାର୍ଲାମେଣ୍ଟରେ କୋସଲ ରାଜ୍ୟ ଦାବୀ ପାଇଁ କିମ୍ବା ବନ୍ଦେ ଉତ୍କଳ ଜନନୀର ରାଜ୍ୟ ସଂଗୀତ ମର୍ଯ୍ୟାଦା ପ୍ରତ୍ୟାହାର ପାଇଁ କୌଣସି ବିଧିବଦ୍ଧ ପ୍ରସ୍ତାବ ଆସିପାରିଲା ନାହିଁ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋଶଳବାଦୀ ନେତା ପ୍ରମୋଦ ମିଶ୍ର। ଅନ୍ୟ ପକ୍ଷରେ ଏ ଅଂଚଳର କିଛି ବିଧାୟକ ଓ ମନ୍ତ୍ରୀ ଯେଉଁମାନେ ନିର୍ବାଚନ ପୂର୍ବରୁ କୋସଲ ଦାବୀକୁ ସମର୍ଥନ କରୁଥିଲେ ନିର୍ବାଚିତ ହେଲା ପରେ ସେ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ତାହାକି ଦୁର୍ଭାଗ୍ୟଜନକ ଅଟେ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି l
ତେଣୁ ବର୍ତ୍ତମାନ ସମୟ ଆସିଯାଇଛି ଯେ ଦଳମତ ନିର୍ବିଶେଷରେ ତେଲେଙ୍ଗାନା ଓ ଛତିଶଗଡ ଭଳି ସବୁ ନିର୍ବାଚିତ ବିଧାୟକ ଓ ସାଂସଦ ସ୍ୱତନ୍ତ୍ର କେସଲ ରାଜ୍ୟ ଦାବି ସପକ୍ଷରେ ବିଧାନସଭା ଓ ପାର୍ଲାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ । ଏହା ଛଡା ସଂବିଧାନରେ ପ୍ରାଦେଶିକ ସଂଗୀତର ବିଧିବ୍ୟବସ୍ଥା ନ ଥିବାରୁ ତଥା ୨ କୋଟି କୋସଲବାସୀ ବସବାସ କରୁଥିବା କୋଶଳାଂଚଳରେ ବନ୍ଦେ ଉତ୍କଳ ଜନନୀ ର ପ୍ରାସଙ୍ଗିକତା ନ ଥିବାରୁ ତାର ପ୍ରତ୍ୟାହାର ପାଇଁ ମଧ୍ୟ ବିଧିବଦ୍ଧ ପ୍ରସ୍ତାବ ଆଗତ କରାଯାଉ ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।
ଏ ଅଞ୍ଚଳର ୨ ଜଣ କେନ୍ଦ୍ର ମନ୍ତ୍ରୀ, ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଏଥର କ୍ୟାବିନେଟ ରେ ସ୍ଥାନୀତ ହୋଇଛନ୍ତି । ତେଣୁ କୋସଳ ଦାବୀ ଆମ ଦଳର ଏଜେଣ୍ଡାରେ ନାହିଁ ବୋଲି କହିବା ପରିବର୍ତ୍ତେ ସେମାନେ କୋସଲ ରାଜ୍ୟ କିଭଳି ଭାବରେ ଗଠନ କରାଯାଇପାରିବ ତା ପାଇଁ ବିଧିବଦ୍ଧ ପଦକ୍ଷେପ ନିଅନ୍ତୁ । ରାଜନୈତିକ ଓଡିଶାରେ କୋସଳାଂଚଳ ହେଉଛି ବିଜେପି ର କେନ୍ଦ୍ରସ୍ଥଳୀ । ବିଜେପିର ଦୁର୍ବିପାକ ସମୟରେ କୋସଳାଂଚଳ ବିଜେପିକୁ ବହୁତ ସହଯୋଗ କରିଛି । ତେଣୁ ଏବେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ସଂବିଧାନର ଧାରା-୩ ଅନୁଯାୟୀ ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବୀକୁ ବିଜେପି ସମର୍ଥନ କରି ନିଜର ରାଜନୈତିକ ଏଜେଣ୍ଡାରେ ସ୍ଥାନୀତ କରୁ । ଏହାଛଡା ଯଦି ରାଜନୈତିକ ଦୁର୍ବିପାକରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଉଭୟ ବିଜେଡି ଓ କଂଗ୍ରେସ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳମାନେ ମଧ୍ୟ ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବୀକୁ ଖୋଲାଖୋଲି ଭାବରେ ସମର୍ଥନ କରନ୍ତୁ। ଏହା ଛଡା କୋସଲ ଦାବୀ ବିରୁଦ୍ଧରେ ମତ ଦେଉଥିବା ନେତା ମନ୍ତ୍ରୀମାନଙ୍କୁ କୋସଳାଂଚଳରେ ଜନସାଧାରଣ ରାଜରାସ୍ତାରେ ବିରୋଧ କରନ୍ତୁ ବୋଲି କୋସଳ ଆନ୍ଦୋଳନର ନେତା ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।