- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
ପୁରୀ, ୧୦ ଜାନୁଆରୀ :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନ ଜବରଦସ୍ତ ଆର୍ଥିକ ବୋଝ ଲଦି ଦେଉଥିବା ଅଭିଯୋଗ କରିଛନ୍ତି ସମାଜସେବୀ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ। ଭକ୍ତ ନିବାସରେ ରହୁଥିବା ଶ୍ରଦ୍ଧାଳୁଙ୍କ ଗାଡ଼ି ପାର୍କିଂ ପାଇଁ ଦୈନିକ ୫୦୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରିବା ନିଷ୍ପତ୍ତିକୁ ସେ ତୀବ୍ର ନିନ୍ଦା କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ହୋଟେଲ ମାଲିକଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଷଡ଼ଯନ୍ତ୍ର :
ଶ୍ରୀ ରଥ କହିଛନ୍ତି ଯେ, ସୁଲଭ ଦରରେ ରହିବା ପାଇଁ ଭକ୍ତ ନିବାସ ନିର୍ମାଣ ହୋଇଥିବା ବେଳେ ଏତେ ଅଧିକ ପାର୍କିଂ ଫି ନେବା ଦ୍ୱାରା ଭକ୍ତମାନେ ସେଠାରେ ରହିବାକୁ ଅନିଚ୍ଛା ପ୍ରକାଶ କରିବେ। ଏହା ପରୋକ୍ଷରେ ପୁରୀର ଘରୋଇ ହୋଟେଲ ମାଲିକମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଭାରତର କୌଣସି ପ୍ରମୁଖ ଦେବସ୍ଥଳୀରେ ପାର୍କିଂ ପାଇଁ ଏଭଳି ଦୈନିକ ୫୦୦ ଟଙ୍କା ନେବାର ନଜିର ନାହିଁ। ସରକାରଙ୍କ ଅଗୋଚରରେ ପ୍ରଶାସନ ଏଭଳି ଅଦ୍ଭୁତ ଓ ଜନ-ବିରୋଧୀ ନିଷ୍ପତ୍ତି କିଭଳି ନେଉଛି, ସେ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଅମୃତମଣୋହି ଜମି ବିକ୍ରିର ସ୍ମୃତି ଚାରଣ :
ପ୍ରଶାସନିକ ଅବ୍ୟବସ୍ଥା ଉପରେ କ୍ଷୋଭ ପ୍ରକାଶ କରି ପୂର୍ବତନ ବିଧାୟକ ଶ୍ରୀ ରଥ କହିଛନ୍ତି ଯେ, ଅତୀତରେ ତତ୍କାଳୀନ ବିଜେଡି ସରକାର ସମୟରେ ମହାପ୍ରଭୁଙ୍କର ପ୍ରାୟ ୧୩୦୦ ଏକର ମୂଲ୍ୟବାନ ଅମୃତମଣୋହି ଜମିକୁ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ପ୍ରକଳ୍ପ ପାଇଁ ବେଆଇନ ଭାବେ ବିକ୍ରି କରିଦିଆଯାଇଥିଲା। ସେତେବେଳେ ମହାପ୍ରଭୁଙ୍କୁ ଦେବାଳିଆ ବୋଲି ଉଚ୍ଚ ନ୍ୟାୟାଳୟରେ ଦର୍ଶାଯାଇଥିଲା। ଯେଉଁ ପ୍ରଶାସନ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା କରିପାରୁନାହିଁ, ସେ ଆଜି ଭକ୍ତଙ୍କୁ ଲୁଟିବାକୁ ଯୋଜନା କରୁଛି।
ମହାପାପର ପ୍ରାୟଶ୍ଚିତ କରନ୍ତୁ ସରକାର :
ଭକ୍ତଙ୍କୁ ଲୁଟିବା ମହାପାପ ବୋଲି ଉଲ୍ଲେଖ କରି ଶ୍ରୀ ରଥ କହିଛନ୍ତି ଯେ, ସରକାର ଏହି ବିଷୟରେ ହସ୍ତକ୍ଷେପ କରି ତୁରନ୍ତ ପାର୍କିଂ ଫି ପ୍ରତ୍ୟାହାର କରନ୍ତୁ। ଜଗନ୍ନାଥଙ୍କ ଭକ୍ତଙ୍କୁ ଶୋଷଣ କରିବା ବନ୍ଦ ନହେଲେ ଆଗାମୀ ଦିନରେ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।