BIG NEWS

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ: ବିଜେଡି

FMNEWS.IN 26-01-2025
Theft incident from former PCC president Niranjan Patnaik's house has worsened the law and order situation in the state: BJD

ଭୁବନେଶ୍ଵର 26 ଜାନୁଆରି -ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା କଡାକଡି, କିନ୍ତୁ ସମ୍ଭ୍ରାନ୍ତ ଅଞ୍ଚଳରୁ ଚୋରି -ଡବଲ ଇଂଜିନ, ଡବଲ ଡର, ବିଜେପି ସରକାରଙ୍କ ଉପହାର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଵାସଭଵନରୁ ଚୋରି ଘଟଣାରେ ବିଜୁ ଜନତା ଦଳ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡ଼ିଛି ବୋଲି ଅଭିଯୋଗ ଆଣିବା ସହିତ ରାଜ୍ୟ ବିଜେପି ସରକାରଙ୍କ ଅପାରଗତାର ଏହା ପରିଣାମ ବୋଲି କହିଛି। ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ, ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀର ସୁରକ୍ଷା କଡାକଡି ଥିବା ସତ୍ୱେ ସହରର ସମ୍ଭ୍ରାନ୍ତ ଅଞ୍ଚଳରେ ଵାସ କରୁଥିବା ଶ୍ରୀ ପଟ୍ଟନାୟକଙ୍କ ଘରୁ ଚୋରି ହେବା ଏକ ଦୁର୍ଭାଗ୍ୟଜନକ ଘଟଣା। ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ହୁଏ ଯେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ।

ଶ୍ରୀମତୀ ଦେଓ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ, କେବଳ ଏହି ଘଟଣା ନୁହେଁ ବରଂ ଚୋରି, ରାହାଜାନି, ମହିଳାଙ୍କ ପ୍ରତି ଅସଦାଚରଣ, ହତ୍ୟା ଇତ୍ୟାଦି ଘଟଣାମାନ ରାଜ୍ୟରେ ବାରମ୍ବାର ଘଟିଚାଲିଛି, ଯାହା ରାଜ୍ୟବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ କ୍ଷମତା ହାସଲ କରିଥିବା ବିଜେପି ଲୋକଙ୍କ ସୁରକ୍ଷାକୁ ଗୌଣ ମନେ କରୁଛି। ରାଜ୍ୟରେ ବିଭିନ୍ନ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଆଗମନର ଠିକ ପୂର୍ବରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇଥିବାର ଘଟଣାମାନ ଦେଖିବାକୁ ମିଳୁଛି। ବିଜେପି ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ବେଳେ ବହୁ ଚର୍ଚିତ ଭରତପୁର ଥାନା ଘଟଣା ଘଟିଥିଲା। ସେହିପରି, ରାଜ୍ୟରେ ଆୟୋଜିତ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵିତୀୟ ଥର ଓଡିଶା ଗସ୍ତ ପୂର୍ବଦିନ ପୋଲିସ ମିତ୍ର ସହଦେଵ ନାୟକଙ୍କୁ ରାଜ ରାସ୍ତାରେ ଅତି ବିଭତ୍ସ ଭାବେ ହତ୍ୟା କରାଗଲା। ସେହିପରି, ରାଜ୍ୟରେ ଆୟୋଜିତ ହେଉଥିବା ଉତ୍କର୍ଷ ଓଡିଶା କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମ ରହିଥିବା ବେଳେ ଓ ସେହି କାରଣରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ, ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରୁ ଚୋରି ହେବା ଉଦବେଗଜନକ ବିଷୟ। ଡବଲ ଇଂଜିନ ଡବଲ ଦର, ଘରେ ଘରେ ଚୋରି, ରାଜ ରାସ୍ତାରେ ମର୍ଡର, ବିଜେପି ସରକାରଙ୍କ ଏହା ଉପହାର ବୋଲି କହି ଶ୍ରୀମତୀ ଦେଓ ସରକାରଙ୍କୁ ତାଚ୍ଛଲ୍ୟ କରିଥିଲେ। ରାଜ୍ୟ ସରକାର ତୁରନ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀମତୀ ଦେଓ କହିଥିଲେ।