- ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍...
- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ, ଗଙ୍ଗା ରାମ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ
- ତଦନ୍ତ ବାଟବଣା ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
- ଆଜି ଶ୍ରାବଣ ଶେଷ ସୋମବାର, ଚାରିଆଡ ଶିବମୟ
- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ, ୪ ଅଗଷ୍ଟ - ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ରହିଥିବା ବିଭିନ୍ନ ମଠ ମନ୍ଦିର ମାନଙ୍କରେ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ ହେବ । ଏହା ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହେବ । ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଏନେଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସମ୍ମୁଖରେ ଆକର୍ଷଣୀୟ ଝୁଲଣ କୁଞ୍ଜ ଶୋଭା ପାଉଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଶ୍ରୀ ମଦନମୋହନ, ଶ୍ରୀଦେବୀ ଓ ଭୂ-ଦେବୀ ଝୁଲଣରେ ବିଜେ ହୋଇ କୁଞ୍ଜ ଲୀଳା କରିବେ । ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମଠ ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଝୁଲଣରେ ବିଜେ ହେବେ ମଦନମୋହନ, ଲକ୍ଷ୍ମୀ ଓ ସରସ୍ୱତୀ । ସେହିପରି ମଠ ମାନଙ୍କରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ କରିବେ ଶ୍ରୀରାଧାକୃଷ୍ଣ ।
ଶ୍ରୀମନ୍ଦିରରେ ଏହି ନୀତି ପାଇଁ ଭଣ୍ଡାରରୁ ରୂପା ଗିନା ଆସିଥାଏ । ଘଟୁଆରୀ ଚନ୍ଦନ ଆଣି ଯୋଗାଇଥାନ୍ତି । ଭଣ୍ଡାର ମେକାପ ଅଳଙ୍କାର ଯୋଗାଇଥାନ୍ତି । ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗା ଯାଇଥାଏ । ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ ସେବକଙ୍କର ଆବଶ୍ୟକତା ପଡିଥାଏ । ଆଜି ଝୁଲଣର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ତିଥିରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଂଟିଆ ପୁଷ୍ପାଳକଙ୍କୁ ଡକାଯିବ । ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କ ମଇଲମ କରିବେ । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇବେ । ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିବ । ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାଇବେ ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ବିଜେ କରାଇବେ । ଏହିଠାରେ ତିନି ଦିଅଁଙ୍କ ବେଶ ମହାଜନ ସେବାୟତ କରିବେ । ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରାରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିବେ । ପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ନିକଟରେ ଭୋଗ ହେବ । ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ରତ୍ନସିଂହାସନକୁ ବିଜେ କରିବେ । ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓହ୍ଲାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିବେ । ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିବେ । ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାଇବେ । ଏଠାରେ ବିଡ଼ିଆ ମଣୋହି ହେବ । ଭିତରେ ସନ୍ଧ୍ୟାଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା କରିବେ । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଂଚ ଉପଚାରରେ ପୂଜା କରିବେ । ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇବେ ।
ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନକୁ ବିଜେ କରାଇବେ ।