BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ମହାକାଶ ପ୍ରଯୁକ୍ତିରେ ନୂଆ କୀର୍ତ୍ତି ସ୍ଥାପନ କରୁଛି ଭାରତ- ପିଏମ ମୋଦି

FMNEWS.IN 19-01-2025
India is setting new records in space technology: PM Modi

ନୂଆଦିଲ୍ଲୀ, 19 ଜାନୁଆରି-ମନ୍ କୀ ବାତର 118ତମ ଏପିସୋଡରେ ମହାକୁମ୍ଭରୁ ନେଇ ମହାକାଶର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ୨୦୨୫ ଆରମ୍ଭରେ ହିଁ ଭାରତ ମହାକାଶ କ୍ଷେତ୍ରରେ କେତେକ ଐତିହାସିକ ସଫଳତା ହାସଲ କରିଛି । ଆଜି ଏକଥା ଜଣାଇବା ବେଳେ ମୋତେ ଗର୍ବ ଲାଗୁଛି ଯେ ଜଣେ ଭାରତୀୟ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ବେଙ୍ଗାଲୁରୁର ପିକ୍ସେଲ୍ ଭାରତର ପ୍ରଥମ ଘରୋଇ ସାଟେଲାଇଟ୍ କନ୍ଷ୍ଟେଲେସନ - ଫାୟାର୍ଫ୍ଲାଏକୁ ସଫଳତାର ସହ ଆରମ୍ଭ କରିଛି । ଏହି ସାଟେଲାଇଟ୍ କନ୍ଷ୍ଟେଲେସନ ପୃଥିବୀର ସବୁଠୁ ହାଇ ରିଜୋଲ୍ୟୁସନ ହାଇପର୍ ସ୍ପେକ୍ଟ୍ରାଲ୍ ସାଟେଲାଇଟ୍ କନ୍ଷ୍ଟେଲେସନ ଅଟେ । ଏହି ସଫଳତା କେବଳ ଭାରତକୁ ଆଧୁନିକ ମହାକାଶ ପ୍ରଯୁକ୍ତିରେ ଅଗ୍ରଣୀ କରିନାହିଁ ବରଂ ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବଡ଼ ପଦକ୍ଷେପ । ଏହି ସଫଳତା ଆମର ଘରୋଇ ମହାକାଶ କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ନବସୃଜନର ପ୍ରତୀକ । ମୁଁ ଏହି ସଫଳତା ପାଇଁ ପିକ୍ସେଲ୍ ଟିମ୍, ଇସ୍ରୋ ଓ ଇନ୍-ସ୍ପେସ୍ର ଟିମକୁ ସମଗ୍ର ଦେଶ ତରଫରୁ ଅଭିନନ୍ଦନ ଜଣାଉଛି ।କିଛିଦିନ ତଳେ ଆମର ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ହିଁ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଆମ ବୈଜ୍ଞାନିକମାନେ ଉପଗ୍ରହର ସ୍ପେସ୍ ଡକିଙ୍ଗ୍ କରାଇଛନ୍ତି । ଯେତେବେଳେ ମହାକାଶରେ ମହାକାଶଯାନ ଯୋଡ଼ାଯାଏ, ସେହି ପ୍ରକ୍ରିୟାକୁ ସ୍ପେସ୍ ଡକିଙ୍ଗ୍ କୁହାଯାଏ । ଏହି ପ୍ରଯୁକ୍ତି ମହାକାଶରେ ସ୍ପେସ୍ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ଓ କ୍ରିଉ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି ।

ଆମର ବୈଜ୍ଞାନିକ ମହାକାଶରେ ଚାରା ଉତ୍ପାଦନ ଓ ସେଗୁଡ଼ିକୁ ଜୀବିତ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି । ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନେ ଲୋବିଆ ମଞ୍ଜିକୁ ବାଛିଥିଲେ । ଡିସେମ୍ବର ୩୦ରେ ପଠାଯାଇଥିବା ଏହି ମଞ୍ଜି ମହାକାଶରେ ହିଁ ଗଜା ହୋଇଛି । ଏହା ଏକ ବହୁତ ପ୍ରେରଣାଦାୟକ ଗବେଷଣା, ଯାହା ଭବିଷ୍ୟତରେ ମହାକାଶରେ ପନିପରିବା ଉତ୍ପାଦନର ରାସ୍ତା ଖୋଲିବ । ଏହା ଦେଖାଇ ଦେଇଛି ଯେ ଆମର ବୈଜ୍ଞାନିକମାନେ କେତେ ଦୂରଦର୍ଶୀ ବିଚାର ସହିତ କାର୍ଯ୍ୟ କରୁଛନ୍ତି ।

ମୁଁ ଆପଣମାନଙ୍କୁ ଆଉ ଗୋଟିଏ ପ୍ରେରଣାଦାୟକ ଉଦ୍ୟମ ସମ୍ପର୍କରେ କହିବାକୁ ଚାହୁଁଛି । ଆଇଆଇଟି ମାଡ୍ରାସର ଏକ୍ସଟେମ୍ କେନ୍ଦ୍ର ମହକାଶରେ ମାନୁଫାକ୍ଚରିଙ୍ଗ୍ ପାଇଁ ନୂଆ ପ୍ରଯୁକ୍ତି ଦିଗରେ କାମ କରୁଛି । ଏହି କେନ୍ଦ୍ର ମହାକାଶରେ ଥ୍ରୀଡି ପ୍ରିଣ୍ଟେଡ୍ ବିଲ୍ଡିଂସ୍, ମେଟାଲ୍ ଫୋମ୍ସ ଓ ଅପ୍ଟିକାଲ୍ ଫାଇବର୍ସ ଭଳି ପ୍ରଯୁକ୍ତି ଉପରେ ଗବେଷଣା କରୁଛି । ଏହି କେନ୍ଦ୍ର ବିନା ପାଣିରେ କଂକ୍ରିଟ୍ ନିର୍ମାଣ ଭଳି ବୈପ୍ଳବିକ ପଦ୍ଧତିର ମଧ୍ୟ ବିକାଶ କରୁଛି । ଏକ୍ସଟେମ୍ର ଏହି ଗବେଷଣା ଭାରତର ଗଗନଯାନ ମିଶନ ଓ ଭବିଷ୍ୟତର ସ୍ପେସ୍ ଷ୍ଟେସନକୁ ଶକ୍ତିଶାଳୀ କରିବ । ଏହାଦ୍ୱାରା ମାନୁଫାକ୍ଚରିଙ୍ଗରେ ଆଧୁନିକ ପ୍ରଯୁକ୍ତିର ନୂଆ ରାସ୍ତା ମଧ୍ୟ ଖୋଲିବ ।

ଏହି ସମସ୍ତ ସଫଳତା ଏହାର ପ୍ରମାଣ ଯେ ଭାରତର ବୈଜ୍ଞାନିକ ଓ ଉଦ୍ଭାବକମାନେ ଭବିଷ୍ୟତ ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ କେତେ ଦୂରଦର୍ଶୀ । ଆମ ଦେଶ ଆଜି ମହାକାଶ ପ୍ରଯୁକ୍ତିରେ ନୂଆ କୀର୍ତ୍ତି ସ୍ଥାପନ କରୁଛି । ମୁଁ ଭାରତର ବୈଜ୍ଞାନିକ, ଉଦ୍ଭାବକ ଓ ଯୁବ ଉଦ୍ୟୋଗୀମାନଙ୍କୁ ସମଗ୍ର ଦେଶ ପକ୍ଷରୁ ଶୁଭକାମନା ଜଣାଉଛି ।